ଭୁବନେଶ୍ୱର: ଭୁଲ୍ ବହି ଛପାକୁ ନେଇ ରାଜ୍ୟରେ ଲାଗି ରହିଛି ରାଜନୈତିକ ଆରୋପ ପତ୍ୟାରୋପ । ବିରୋଧୀ ଦଳ ଏଥିପାଇଁ ସରକାରଙ୍କୁ ଦାୟୀ କରି ବିରୋଧ ପ୍ରଦର୍ଶନ କରିଛନ୍ତି । ଦୋଷୀ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଛି । ଏହାକୁ ନେଇ ଯୁବ ବିଜେଡି ସଭାପତି ଚିନ୍ମୟ ସାହୁ କହିଛନ୍ତି, "ଭୁଲ୍ ବହି ଛପା ଯୋଗୁ ଓଡ଼ିଶା ନିନ୍ଦିତ ହେଲା । ଜାତୀୟ ଗଣମାଧ୍ୟମ ବି ଏହି ଖବର କଲେ । ବିଜେଡି ମଧ୍ୟ ଏହା ବିରୋଧରେ ପ୍ରସ୍ତାବ ଦେଇଥିଲା । ଭୁଲ୍ ବହି ପ୍ରତ୍ୟାହାର କରି ନୂଆ ବହି ପାଇଁ ବିଜେଡି ଦାବି କରିଥିଲା । କିନ୍ତୁ କିଛି ଆକ୍ସନ ନାହିଁ । ଖାଲି ସେତିକି ନୁହେଁ, ୩୮୦ କୋଟି ସ୍କାମରେ ମନ୍ତ୍ରୀ ଲିପ୍ତ ଅଛନ୍ତି । ମୁଖ୍ୟମନ୍ତ୍ରୀ ତାଙ୍କୁ ବହିଷ୍କାର କରନ୍ତୁ ।"
ଯୁବ ବିଜେଡି ସଭାପତି କହିଛନ୍ତି, "ନୂଆ ବହି ଛପାକୁ ନେଇ ଷଡଯନ୍ତ୍ର ହୋଇଛି ବୋଲି ମୁଖ୍ୟମନ୍ତ୍ରୀ ଜାତୀୟ ଗଣମାଧ୍ୟମ କନକ୍ଳେଭରେ କେବଳ ମୌଖିକ ଭାବେ କହିଲେ । କିଏ ଷଡଯନ୍ତ୍ର କରିଛି ? ମୁଖ୍ୟମନ୍ତ୍ରୀ ତା' ନାଁ ସାର୍ବଜନୀନ କରନ୍ତୁ । ବିଭାଗୀୟ ମନ୍ତ୍ରୀ ହାଲୁକା ଭାବେ କହିଲେ ଏହା ସାମାନ୍ୟ ତ୍ରୁଟି ।ଏମିତି କି SCERTନିର୍ଦ୍ଦେଶକ ମଧୁସ୍ମିତା ସାହୁ କହିଲେ, ନୂଆ ବହି ଛପା ହେବନି । ସଂଶୋଧନ କରି ପଢ଼ାଇବେ ଶିକ୍ଷକ । ଶିକ୍ଷକ କଣ ସରକାରଙ୍କ ଗୁଲାମ ?"
ସେହିପରି ଛାତ୍ର ବିଜେଡି ସଭାପତି ଇପ୍ସିତା ସାହୁ କହିଛନ୍ତି, "ସମାଜକୁ ଧ୍ୱଂସ କରିବାକୁ ଶିକ୍ଷା ବ୍ୟବସ୍ଥାକୁ ଧ୍ୱଂସ କରାଯାଏ । ଏହା ସରକାର କରୁଛନ୍ତି । ଗର୍ବ ଅହଂକାର ଛାଡି ସରକାର ବହି ପ୍ରତ୍ୟାହାର କରିବାର ଥିଲା । ହୁଏତ କାଲି ସକାଳେ ସରକାର ତ୍ରୁଟି ସଂଶୋଧନ କରି ପାରନ୍ତି, ହେଲେ ପିଲାଙ୍କ ବିଶ୍ୱାସ ଓ ମନୋବଳ ଫେରିବ ନାହିଁ । ପୂର୍ବତନ ନିର୍ଦ୍ଦେଶକ ଓ ବର୍ତ୍ତମାନ ନିର୍ଦ୍ଦେଶକଙ୍କୁ ବହିଷ୍କାର କରାଯାଉ । ୩୮୦ କୋଟି ଭରଣା ହେଉ । ମୁଖ୍ୟ ଶାସନ ସଚିବ ବି ତଦନ୍ତ ପରିସରଭୁକ୍ତ ହୁଅନ୍ତୁ ।"
ସେପଟେ ବିଜେପି ଯୁବମୋର୍ଚ୍ଚା ସଭାପତି ଅଭିଳାଷ ପଣ୍ଡା କହିଛନ୍ତି, "ବିଜେଡି କଣ ରାଜ୍ୟକୁ ଚଳାଉଛି ? ସେମାନେ ଶାସନ କରି ରାଜ୍ୟକୁ ଦୁରାବସ୍ଥାକୁ ଠେଲି ଦେଇଥିଲେ । ଏବେ ଆକ୍ସନ ନେଉଛନ୍ତି ସରକାର । ଆଗକୁ ଯିଏ ବି ଭୁଲ କରିବ। ତାଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ହେବାର ବାର୍ତ୍ତା ଦେଇଛନ୍ତି ସରକାର..."
