Header ADS

ଭାଲୁ ଆତଙ୍କରେ କଣ୍ଟାବାଞ୍ଜିବାସୀ; ଭାଲୁକୁ ଶୀଘ୍ର ଧରିବା ସହ ପାଟ୍ରୋଲିଂ ବଢ଼ାଇବାକୁ ନାଗରିକ କମିଟିର ଦାବି


କଣ୍ଟାବାଞ୍ଜି ସହର ଓ ଏହାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଭାଲୁ ଆତଙ୍କକୁ ନେଇ ସାଧାରଣ ଲୋକଙ୍କ ମଧ୍ୟରେ ଭୟ ଓ ଚିନ୍ତା ବଢ଼ିବାରେ ଲାଗିଛି। ଭାଲୁ ଆକ୍ରମଣରେ ଜଣେ ବ୍ୟକ୍ତିଙ୍କ ଜୀବନ ହାନି ଘଟିଥିବା ଘଟଣା ପରେ ଅଞ୍ଚଳବାସୀଙ୍କ ସୁରକ୍ଷାକୁ ନେଇ ପ୍ରଶ୍ନ ଉଠିଛି। ଏହି ପରିସ୍ଥିତିରେ ଭାଲୁକୁ ଯଥାଶୀଘ୍ର ସୁରକ୍ଷିତ ଭାବେ ଧରିବା, ବନ ବିଭାଗର ପାଟ୍ରୋଲିଂ ବ୍ୟବସ୍ଥାକୁ ଅଧିକ ସକ୍ରିୟ କରିବା ଏବଂ ଜନସାଧାରଣଙ୍କୁ ସଚେତନ କରିବା ଦାବିରେ କଣ୍ଟାବାଞ୍ଜି ନାଗରିକ କମିଟି ପକ୍ଷରୁ ବନ ବିଭାଗ ନିକଟରେ ଏକ ଲିଖିତ ଅଭିଯୋଗ ଦାଖଲ କରାଯାଇଛି।କମିଟି ପକ୍ଷରୁ କୁହାଯାଇଛି ଯେ, ଭାଲୁର ଗତିବିଧି ଯୋଗୁଁ ସହର ଓ ଆଖପାଖ ଗ୍ରାମାଞ୍ଚଳର ଲୋକମାନେ ଭୟଭୀତ ଅବସ୍ଥାରେ ରହୁଛନ୍ତି। ବିଶେଷକରି ସକାଳ ଓ ସନ୍ଧ୍ୟା ସମୟରେ ଲୋକଙ୍କ ଯାତାୟାତ ଏବଂ ଦୈନନ୍ଦିନ କାର୍ଯ୍ୟକଳାପ ପ୍ରଭାବିତ ହେବାର ଆଶଙ୍କା ରହିଛି। ତେଣୁ ବନ ବିଭାଗ ତୁରନ୍ତ ପଦକ୍ଷେପ ଗ୍ରହଣ କରି ଭାଲୁକୁ ସୁରକ୍ଷିତ ଭାବେ ଧରିବା ସହ ଲୋକଙ୍କ ଜୀବନ ଓ ସମ୍ପତ୍ତିର ସୁରକ୍ଷା ସୁନିଶ୍ଚିତ କରୁ ବୋଲି କମିଟି ଦାବି କରିଛି।ଏହି ଅବସରରେ ବନ ବିଭାଗର ଅଧିକାରୀ ଶ୍ରୀ ସିଦ୍ଧାନ୍ତ ସାହୁଙ୍କୁ ଏଆଇ (AI) ଦ୍ୱାରା ପ୍ରସ୍ତୁତ ଭାଲୁ ସମ୍ପର୍କିତ ଫଟୋ ଓ ଭିଡିଓ ସୋସିଆଲ ମିଡିଆରେ ପ୍ରସାର କରିବାରୁ ଲୋକଙ୍କ ମଧ୍ୟରେ ଅଯଥା ଭୟ ସୃଷ୍ଟି ହେବାର ଆଶଙ୍କା ଥିବା ବିଷୟରେ ମଧ୍ୟ ଅବଗତ କରାଯାଇଥିଲା। ଏପରି ଫଟୋ କିମ୍ବା ଭିଡିଓ ପ୍ରସାର କରିବା ପୂର୍ବରୁ ତାହାର ସତ୍ୟତା ଯାଞ୍ଚ କରିବା ଏବଂ ଲୋକଙ୍କୁ ଭୟଭୀତ କରିପାରୁଥିବା ଅସତ୍ୟ ବା ଭ୍ରମାତ୍ମକ ତଥ୍ୟ ପ୍ରସାରରୁ ଦୂରେଇ ରହିବାକୁ କମିଟି ପକ୍ଷରୁ ଅନୁରୋଧ କରାଯାଇଥିଲା। ଅନ୍ୟପକ୍ଷରେ, ଡୁମେରଛୁଆଁ ଗ୍ରାମରେ ଭାଲୁ ଆକ୍ରମଣରେ ଜୀବନ ହରାଇଥିବା ବ୍ୟକ୍ତିଙ୍କ ପରିବାରକୁ କ୍ଷତିପୂରଣ ଦେବା ପ୍ରସଙ୍ଗ ମଧ୍ୟ ଉଠାଯାଇଥିଲା। ମୃତକଙ୍କ ପତ୍ନୀଙ୍କ ବ୍ୟାଙ୍କ ଖାତାରେ କ୍ଷତିପୂରଣ ରାଶି ଜମା କରାଯିବ ବୋଲି ବନ ବିଭାଗ ପକ୍ଷରୁ ମତ ପ୍ରକାଶ କରାଯାଇଥିବା କମିଟି ସୂତ୍ରରୁ ଜଣାପଡ଼ିଛି। ତେବେ ଏହି ସହାୟତା ରାଶି ଶୀଘ୍ର ପ୍ରଦାନ କରିବା ସହ ପୀଡ଼ିତ ପରିବାରକୁ ଆବଶ୍ୟକ ସହଯୋଗ ଯୋଗାଇଦେବାକୁ ଦାବି ହୋଇଛି।ଦାବିପତ୍ର ପ୍ରଦାନ ସମୟରେ କଣ୍ଟାବାଞ୍ଜି ନାଗରିକ କମିଟିର ସଭାପତି ଶ୍ରୀ ବିଶାଳ ତାଣ୍ଡି, ଉପସଭାପତି ଶ୍ରୀ ରାଜୁ ଛତ୍ରିଆ, ସମ୍ପାଦକ ଶ୍ରୀ ଜିତୁ ସୁନା, ବରିଷ୍ଠ କୋଶଳୀ କଳାକାର ଶ୍ରୀ ଶୋଭିତ ତାଣ୍ଡି ଏବଂ ସାଧାରଣ ସଦସ୍ୟ ଶ୍ରୀ ଦୁଃଖନାଶନ ମଲ୍ଲିକ ଉପସ୍ଥିତ ଥିଲେ। କଣ୍ଟାବାଞ୍ଜି ଓ ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଭାଲୁ ଆତଙ୍କ ଦୂର କରିବା ପାଇଁ ବନ ବିଭାଗ ତୁରନ୍ତ ଠୋସ୍ ପଦକ୍ଷେପ ଗ୍ରହଣ କରିବା ସହ ନିୟମିତ ପାଟ୍ରୋଲିଂ, ଆବଶ୍ୟକ ସତର୍କତାମୂଳକ ସୂଚନା ଏବଂ ଜନସାଧାରଣଙ୍କ ସୁରକ୍ଷାକୁ ପ୍ରାଥମିକତା ଦେଉ ବୋଲି କଣ୍ଟାବାଞ୍ଜି ନାଗରିକ କମିଟି ଦାବି କରିଛି।

Previous Post Next Post

نموذج الاتصال