Header ADS

ପାଟଶାଢ଼ିରେ ସମ୍ବଲପୁରୀ ଦିନ୍‌: ଚର୍ଚ୍ଚାରେ ହେମାଞ୍ଚଳ

 


ସୋନପୁର,୧।୮(କିରଣ ବାର୍ତ୍ତା):ସୂକ୍ଷ୍ମ କାରିଗରି ପାଇଁ ସୁବର୍ଣ୍ଣପୁର ଜିଲାର ବୁଣାକାରଙ୍କ ଦେଶ ବିଦେଶରେ ସୁନାମ ରହିଛି। ସେମିତି ଜଣେ ଯୁବ ବୁଣାକାର ହେଲେ ସୋନପୁର ବ୍ଲକ ହରଡ଼ଖୋଲ ଗ୍ରାମର ହେମାଞ୍ଚଳ ମେହେର(୪୪)। ସେ ପାଟ ସୂତାରେ ସମ୍ବଲପୁରୀ ଦିନ୍‌ ଶାଢ଼ି ପ୍ରସ୍ତୁତ କରି ଚର୍ଚ୍ଚାକୁ ଆସିଛନ୍ତି। ଏଥିରେ ଛୋଟ ଅକ୍ଷରରେ ଆଞ୍ଚଲ (ମୁହଁ)ରେ ସମ୍ବଲପୁରୀ ଭାଷାରେ ଲେଖାଯାଇଛି ଆମେ ସମ୍ବଲପୁରିଆ, ସମ୍ବଲପୁରୀ ଦିନ୍‌ର ଲାଗି ଗୁର୍ଦ୍ଦୁଟେ ଶୁଭେଚ୍ଛା। ସେହିପରି ଶାଢ଼ି ବଡ଼ି(ଦେହ) ଭିତରେ ଲେଖାଯାଇଛି କହେମା ସମ୍ବଲପୁରୀ, ଗାଏମା ସମ୍ବଲପୁରୀ, ନାଚ୍‌ମା ସମ୍ବଲପୁରୀ, ପିନ୍ଧ୍‌ମା ସମ୍ବଲପୁରୀ ଓ ଖାଏମା ସମ୍ବଲପୁରୀ। ଅତି ସୂକ୍ଷ୍ମ କାରିଗରିରେ ଲୁଗା ବୁଣାଯାଇଛି। ଶାଢ଼ି ପ୍ରସ୍ତୁତ ପାଇଁ ହେମାଞ୍ଚଳଙ୍କୁ ସ୍ତ୍ରୀ ପାର୍ବତୀ ଓ ପରିବାର ସମ୍ପୂର୍ଣ୍ଣ ସହଯୋଗ କରିଛନ୍ତି। ସୂତା ରଙ୍ଗଠାରୁ ଆରମ୍ଭ କରି ଶାଢ଼ି ବୁଣିବା ପାଇଁ ସାଢ଼େ ୩ ମାସ ସମୟ ଲାଗିଥିବା ସେ କହିଛନ୍ତି।ହେମାଞ୍ଚଳ କହିଛନ୍ତି, ସେ ୨୪ ବର୍ଷ ଧରି ଶାଢ଼ି ବୁଣୁଛନ୍ତି। ଜାତୀୟସ୍ତରର ବାନ୍ଧଶିଳ୍ପୀ ଗୁରୁ ପ୍ରଫୁଲ୍ଲ ମେହେର ଏହି ଶାଢ଼ି ପାଇଁ ତାଙ୍କୁ ବିଷୟବସ୍ତୁ ଓ ପରିକଳ୍ପନା ସହାୟତା ପ୍ରଦାନ କରିଥିଲେ। କେବଳ ଲୁଗା ବୁଣା ସମ୍ପୂର୍ଣ୍ଣ ପାଇଁ ତାଙ୍କୁ ୧୨ ଦିନ ସମୟ ଲାଗିଛି। ଶାଢ଼ିରେ ୫ ପ୍ରକାର ରଙ୍ଗ ପ୍ରୟୋଗ କରାଯାଇଛି। ସେ କେବଳ ୨ଟି ସମ୍ବଲପୁରୀ ଦିନ୍‌ ଶାଢ଼ି ବୁଣିଛନ୍ତି। ଗୋଟିକର ଦାମ ୨୫ ହଜାର ଟଙ୍କା ରହିଛି। ଗ୍ରାହକଙ୍କ ଚାହିଦା ବଢ଼ିଲେ ଅଧିକ ସଂଖ୍ୟାରେ ସେ ଏହି ଶାଢ଼ି ବୁଣିବେ। ବୁଣାକାର ପରିବାରରେ ଜନ୍ମିତ ହେମାଞ୍ଚଳ ପିଲା ଦିନରୁ ନିଜର କୌଳିକ ବୃତ୍ତି ବାନ୍ଧକଳା ପ୍ରତି ଆଗ୍ରହ ଦେଖାଇଥିଲେ। ବାନ୍ଧକଳାରେ କିଛି ନୂତନତ୍ୱ ଆଣିବାକୁ ତାଙ୍କର ରୁଚି ରହିଛି।

Previous Post Next Post

نموذج الاتصال